ଅନୁପମାର ପ୍ରସ୍ତାବ ଚକିତ କରିଥିଲା ସୁବ୍ରତକୁ
ସୁବ୍ରତ ଓ ଅନୁପମା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ଫ୍ଲାଟରେ ରହୁଥିଲେ ଦୁହେଁ ଗୋଟିଏ କମ୍ପାନୀପାଇଁ କାମ କରୁଥିଲେ ତାଙ୍କର ଅଫିସ୍ ସେମାନେ ରହୁଥିବା ଆପାର୍ଟମେଣ୍ଟଠାରୁ ତିରିଶ କିଲୋମିଟର ଦୂର ପ୍ରତିଦିନ କମ୍ପାନୀର କାର୍ ଆସି ସେ ଦୁଇଜଣ ଓ ବାଟରେ ରହୁଥିବା ଅନ୍ୟଜଣେ କର୍ମଚାରୀଙ୍କୁ ସକାଳେ ନେଇଯାଉଥିଲା ଏବଂ ସଞ୍ଜବେଳେ ଛାଡ଼ିଦେଉଥିଲା
ସେଦିନ ଅନୁପମାକୁ ସର୍ଦ୍ଦି ହୋଇଥିଲା ଏବଂ ଦେହରେ ସାମାନ୍ୟ ଜ୍ବର ମଧ୍ୟ ଥିଲା ସେ ହୋମିଓପାଥିକ୍ ଔଷଧ ଖାଉଥିଲା ଅଫିସ୍ରେ ପର୍ସରୁ ହୋମିଓପାଥିକ୍ ଔଷଧ ଖାଇବାକୁ ଶିଶି ବାହାର କଲାବେଳକୁ ନିଜ ଫ୍ଲାଟ୍ର ଚାବି ମଧ୍ୟ ବାହାର କରିଦେଇଥିଲା ଔଷଧ ଖାଇସାରି ଶିଶି ପର୍ସରେ ରଖିଦେଇଥିଲା; କିନ୍ତୁ ଭୁଲ୍ବଶତଃ ଚାବି ପର୍ସରେ ରଖି ନ ଥିଲା ଅନ୍ୟମନସ୍କତାରେ ଚାବି ଟେବୁଲ ଡ୍ରୟାର୍ରେ ରଖିଦେଇଥିଲା ଏବଂ ନିଜ ଫ୍ଲାଟକୁ ଫେରିଲାବେଳକୁ ଚାବି ଆଣିପାରି ନ ଥିଲା
ନିଜ ଫ୍ଲାଟ୍ରେ ସୁବ୍ରତ ନିଜ ପ୍ୟାଣ୍ଟସାର୍ଟ ବଦଳେଇବାକୁ ଯାଉଥିଲା ଅନୁପମା ଆସି କହିଲା, ମୁଁ ମୋର ଫ୍ଲାଟ୍ ଚାବି ଅଫିସରେ ଛାଡ଼ିଦେଇ ଆସିଛି ସୁବ୍ରତ ପଚାରିଲା, ଏବେ କ’ଣ କରିବ ?
ଅଫିସରୁ ଫେରିଲା ପରେ ଦୁହେଁ କ୍ଲାନ୍ତ ଅନୁଭବ କରୁଥିଲେ ଅନୁପମାର ଯେହେତୁ ଦେହ ସାମାନ୍ୟ ଅସୁସ୍ଥ ଥିଲା, ଅସୁସ୍ଥତା ସହିତ ଦିନକର କାମରେ ସେ ବେଶି କ୍ଲାନ୍ତ ଅନୁଭବ କରୁଥିଲା ଅବଶ୍ୟ ସଞ୍ଜବେଳକୁ ଦେହରେ ଜ୍ବର ନ ଥିଲା ଅଫିସ୍ ଗାଡ଼ି ସେମାନଙ୍କୁ ଛାଡ଼ି ଚାଲିଯାଇଥିଲା ଏବେ ତାଙ୍କ ଅଫିସ୍କୁ ଯାଇ ଚାବି ଆଣିବାକୁ ହେଲେ ଟାକ୍ସିରେ କିମ୍ବା ଅଟୋରେ ଯିବାକୁ ହେବ ସୁବ୍ରତ ଭାବୁଥିଲା, ଅନୁପମା ବୋଧହୁଏ ସେଥିପାଇଁ ଆସିଛି, ସାଙ୍ଗହୋଇ ଦୁହେଁ ଅଫିସ ଯିବେ ସୁବ୍ରତର ଯିବାକୁ ଧୈର୍ଯ୍ୟ ନ ଥିଲା
ଅନୁପମା କ’ଣ କରିବ ସ୍ଥିର କରିସାରିଥିଲା କହିଲା, ମୁଁ ଆଜି ରାତିକ ତୁମ ଫ୍ଲାଟ୍ରେ ରହିଗଲେ ତୁମର କ’ଣ ଅସୁବିଧା ହେବ ?
ସୁବ୍ରତ ଏମିତି ଏକ ପ୍ରସ୍ତାବ ଆଶା କରୁ ନଥିଲା
ସୁବ୍ରତ ଏକା ଏକା ରହୁଥିଲା ଅନୁପମା ଅବିବାହିତା ଅନୁପମା କମ୍ପାନୀରେ ଯୋଗଦେବାର ଛଅମାସ ପରେ ସୁବ୍ରତ ଏହି କମ୍ପାନୀରେ ଯୋଗ ଦେଇଥିଲା କମ୍ପାନୀ କାର୍ରେ ଯିବାଆସିବା ସମୟରେ ଏବଂ କେତେବେଳ କେମିତି ପଦେଅଧେ କଥାବାର୍ତ୍ତା ଯଦିଓ କମ୍ପାନୀର ଗୋଟିଏ ଅଫିସରେ ଦୁହେଁ କାମ କରୁଥିଲେ, କିନ୍ତୁ ଦୁହେଁ ଅଲଗା ଅଲଗା କୋଠରିରେ ବସୁଥିଲେ ସୁବ୍ରତର ଅଫିସ ରୁମ୍ ପ୍ରଥମ ମହଲାରେ ଥିଲା ଏବଂ ଅନୁପମାର ତୃତୀୟ ମହଲାରେ ଅଫିସ ସମୟରେ ମଧ୍ୟ ଦୁହିଁଙ୍କ ଭିତରେ ବେଶି ଗପସପ କରିବାର ସୁଯୋଗ ନ ଥିଲା ଦୁହେଁ ଦୁହିଁଙ୍କ ବିଷୟରେ ବେଶି କିଛି ଜାଣି ନ ଥିଲେ
ଅନୁପମା ଦୋହରେଇଲା, ଅସୁବିଧା କ’ଣ ହେବ ? ଆପଣଙ୍କର ଦୁଇଟି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ୍, ଆପଣ ଏକା ରହୁଛନ୍ତି, ଗୋଟିଏ ବେଡ୍ରୁମ୍ରେ ଆପଣ, ଅନ୍ୟଟିରେ ମୁଁ ରହିଯିବି
ସୁବ୍ରତ ମନେ ମନେ ଅନୁପମାକୁ ତଉଲୁଥିଲା ଏହି ବର୍ଷ ଭିତରେ ଦୁହେଁ ସାଙ୍ଗହୋଇ କାର୍ରେ ଯିବାଆସିବା କରୁଥିଲେ ଅନୁପମା ମାର୍ଜିତ, ରୁଚିସମ୍ପନ୍ନା ମନେହେଉଥିଲା ସୁବ୍ରତ କହିପକେଇଲା, ଚଳିବ ଯଦି ଆପଣଙ୍କର କିଛି ଅସୁବିଧା ନ ହୁଏ
ମୋର କିଛି ଅସୁବିଧା ହେବନି ଏବେ କିଛି ଉପାୟ ନାହିଁ, ଅସୁବିଧା ହେଲେ ବି ଚେଳଇନେବି ଅନୁପମା କହିଲା
ସୁବ୍ରତ ରାଜି ହୋଇଗଲା, ପରେ ଚିନ୍ତିତ ହୋଇପଡ଼ିଲା
ସୁବ୍ରତ ଅତ୍ୟନ୍ତ ଅଳସୁଆ ତା’ ନିଜ ଘର ପରିଷ୍ମାର ପରିଚ୍ଛନ୍ନ ନ ଥିଲା ସେସବୁ ପ୍ରତି ତା’ର ନିଘା ନ ଥାଏ ଅଳ୍ପ ଜିନିଷ କିପରି ବେଶି ଜାଗା ମାଡ଼ିବସେ, ସେ କଳା ତାକୁ ଜଣାଥିଲା ତା’ର ପ୍ୟାଣ୍ଟ୍ସାର୍ଟ ଏଠି ସେଠି ପଡ଼ିଥିଲା, ବହିପତ୍ର ବି ସେମିତି ସେ ଦୁଇଟିଯାକ ବେଡ୍ରୁମ୍ ମଧ୍ୟ ବ୍ୟବହାର କରୁଥିଲା ଗୋଟିଏ ବେଡ଼୍ରୁମ୍ରେ ତା’ର ବହିପତ୍ର ଓ ପ୍ୟାଣ୍ଟ୍ସାର୍ଟ ଇତ୍ୟାଦି ଥିଲା ଖଟ ଉପରେ ବହି, ମାଗାଜିନ୍ ଓ ଖବରକାଗଜ ସେ ବିଛଣାରେ ଶୋଇ, ଦୁଇଟି ତକିଆକୁ ଗୋଟିଏ ଉପରେ ଅନ୍ୟଟି ରଖି, ତା’ଉପରେ ମୁଣ୍ଡ ରଖି, ଉପରକୁ ଚାହିଁ ପଢ଼େ ପଢ଼ୁ ପଢ଼ୁ ନିଦ ଆସିଯାଏ ତେଣୁ ଖଟ ଉପରେ ସେସବୁ ପଡ଼ି ରହିଥାଏ ଅନ୍ୟ ବେଡ଼୍ରୁମ୍କୁ ସେ ନାଁ ଦେଇଥାଏ ‘ଅପରାଧ କକ୍ଷ’ ସେହି ବେଡ଼୍ରୁମ୍ରେ ସେ, ଯେବେ ଇଚ୍ଛାହୁଏ, ମଦ ପିଏ, ସିଗାରେଟ୍ ଟାଣେ, ସିଗାରେଟ୍ରେ ଗଞ୍ଜେଇ ମିଶାଇ ମଧ୍ୟ ଟାଣେ ସିଡ଼ି ଆଣି ଫିଲ୍ମ ସେହି ରୁମ୍ରେ ଦେଖେ ସେହି ରୁମ୍ରେ ତା’ର କମ୍ପ୍ୟୁଟର ଓ ଟିଭି ଥାଏ ଦିନେ ଦିନେ ମଦ ଗ୍ଲାସ୍ ଧୁଆ ନ ହୋଇ ରହିଥାଏ ଆଇସ୍ ଟ୍ରେ ବି ସଫା ହୋଇ ନ ଥାଏ ଯେବେ ତା’ର ମଦ ପିଇବାକୁ, ଗଞ୍ଜେଇ ଟାଣିବାକୁ ଇଚ୍ଛାହୁଏ, ସେହି ରୁମ୍ରେ ସେ ବସିଥାଏ ଏବଂ ସେହି ରୁମ୍ରେ ଶୋଇପଡ଼େ
ତେଣୁ ଦୁଇଟିଯାକ ଶୟନକକ୍ଷ ଏକ ଉଚ୍ଚଶିକ୍ଷିତା, ରୁଚିସମ୍ପନ୍ନା, ସୁନ୍ଦରୀ ନାରୀ ରହିବା ଉପଯୋଗୀ ନୁହେଁ ସେ କହିଲା, ତୁମେ କ’ଣ ରହିପାରିବ ? ମୋର ରୁମ୍ ପରିଷ୍କାର, ପରିଚ୍ଛନ୍ନ ନୁହେଁ, ତୁମକୁ ଭଲ ଲାଗି ନ ପାରେ
ଅନୁପମା କହିଲା, ମୁଁ ତ କହିଲି, ଚଳେଇନେବି ଏବେ ତ ଅନ୍ୟକିଛି ବାଟ ନାହିଁ
ପଢ଼ାପଢ଼ି କରୁଥିବା ଓ ଶୋଉଥିବା ରୁମ୍ରେ ରହିବାପାଇଁ ଅନୁପମାକୁ କହି ସେ ଅନ୍ୟ କୋଠରିକୁ ଯିବାକୁ ବାହାରିଲା ରୁମ୍ ଭିତର ଦେଖିଦେଇ ଅନୁପମା କହିଲା, ୟେ କ’ଣ ? ଗତ ରାତିରେ ଏହି ବେଡ଼୍ରେ କାହାକୁ ଧର୍ଷଣ କରିଥିଲ କି ?
ଚମକି ପଡ଼ିଲା ସୁବ୍ରତ ତା’ର ବେଡ଼୍ ଅସଜଡ଼ା ହୋଇପଡ଼ିଥିଲା ବେଡ଼୍କଭର ଜାକିଜୁକି ହୋଇ ପଡ଼ିଥିଲା, ତକିଆ ଦୁଇଟି ଏପଟ ସେପଟ ଓ ବେଡ଼୍ ଉପରେ ତା’ର ବହି, ଖବରକାଗଜ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା ଏମିତି ତା’ର ପ୍ରତ୍ୟେକ ଜିନିଷ ଅସଜଡ଼ା ହୋଇ ପଡ଼ିଥାଏ ସୁବ୍ରତ ବେଡ଼୍ ସଜାଡ଼ିବାକୁ ଉଦ୍ୟତ ହେଲା ଅନୁପମା କହିଲା, ତୁମେ ଯାଅ, ମୁଁ ସଜାଡ଼ି ଦେବି
ସୁବ୍ରତ ସଫା ବେଡ଼୍ସିଟ୍ ରଖିଥିବା ଜାଗା ଦେଖେଇଦେଲା ଏବଂ ସେ ରୁମ୍ରୁ ବାହାରି ଆସିଲା
କିଛି ସମୟ ପରେ ଧୁଆଧୋଇ ହୋଇ ଅନୁପମା ରୁମ୍ ଭିତରୁ ସୁବ୍ରତର ଟ୍ରାଉଜର୍ ଓ ଟି-ସାର୍ଟ ପିନ୍ଧି ବାହାରିଲା ସୁବ୍ରତର ପୋଷାକରେ ସେ ଭିନ୍ନ ଦିଶୁଥିଲା ସୁବ୍ରତକୁ ପଚାରିଲା ରାତିରେ ଖାଇବା କ’ଣ ?
ସୁବ୍ରତ ଅନ୍ୟ ବାଥ୍ରୁମ୍ରେ ଧୁଆଧୋଇ ହୋଇ, ପୋଷାକ ବଦଳେଇ ଦୁଇ କପ୍ ଚା’ କରିସାରିଥିଲା ଏବଂ ବୈଠକଘରେ ଅନୁପମାକୁ ଅପେକ୍ଷା କରିଥିଲା ଗୋଟିଏ କପ୍ ଚା’ ଧରି ସୋଫାରେ ତା’ ସାମନାରେ ବସିପଡ଼ିଲା ଅନୁପମା
ସୁବ୍ରତ କହିଲା, ପାଖ ରେସ୍ତୋରାଁରେ ଖାଇନେବା
ସୁବ୍ରତ ସକାଳେ ବ୍ରେଡ଼୍-ଓମ୍ଲେଟ, ବ୍ରେଡ଼୍-କଦଳୀ, ମ୍ୟାଗି କିମ୍ବା ଚାଉମିନ୍ କରି ଖାଏ ଏବଂ ଚା’ ପିଇଥାଏ ଦିନେ ଦିନେ ପାଖ ରେସ୍ତୋରାଁରେ ବ୍ରେକ୍ଫାଷ୍ଟ କରିଦେଇ କାର୍ ଆସିବାକୁ ଅପେକ୍ଷା କରେ କମ୍ପାନୀର କ୍ୟାଣ୍ଟିନ୍ରେ ଲଞ୍ଚ କରିଦିଏ ରାତିରେ ରୋଷେଇ କରେ କିମ୍ବା ମନ ହେଲେ ରେସ୍ତୋରାଁରେ ଖାଇଦିଏ ଅନୁପମା କହିଲା, ମୁଁ ପୁଣି ଡ୍ରେସ୍ ବଦଳେଇ ବାହାରକୁ ଯାଇପାରିବି ନାହିଁ
ସୁବ୍ରତ କହିଲା, ତେବେ ତୁମେ ଘରେ ଥାଅ, ମୁଁ ରେସ୍ତୋରାଁରୁ ନେଇଆସୁଛି
ଅନୁପମା ପଚାରିଲା, ତୁମେ କ’ଣ ସବୁଦିନ ରାତିରେ ବାହାରକୁ ଖାଇବାକୁ ଯାଅ ? ସୁବ୍ରତ କହିଲା, ନା, ରୋଷେଇ କରେ
କ’ଣ, କ’ଣ ରୋଷେଇ ଜାଣିଛ ? ପଚାରିଲା ଅନୁପମା
ସୁବ୍ରତ କହିଲା, ରୁଟି, ଭାତ, ଡାଲି, ସନ୍ତୁଳା, ଡାଲମା ଓ ଅଣ୍ଡା ଓମ୍ଲେଟ୍
ଅନୁପମା ପଚାରିଲା ତୁମେ ରୁଟି ବେଲିଲେ, ରୁଟି ଭାରତ ମାନଚିତ୍ର ନା ଶ୍ରୀଲଙ୍କା ମାନଚିତ୍ର ପରି ହୁଏ ?
ସୁବ୍ରତ କହିଲା, ନା, ଜହ୍ନ ପରି କିମ୍ବା ତୁମ ମୁହଁ ପରି ହୁଏ
ସୁବ୍ରତ ପାଟିରୁ ଆପେ ଆପେ ଏହି ବାକ୍ୟ ବାହାରି ପଡ଼ିଲା ଏବଂ ସେ କହିସାରି ଭୁଲ୍ କଲା ବୋଲି ଭାବୁଥିଲା ଏବେ ଅନୁପମାର ପ୍ରତିକ୍ରିୟା ଭଲ ହେବ ନାହିଁ ବୋଲି ଆଶଙ୍କା କରୁଥିଲା
ଅନୁପମା ଆଖି ବଡ଼ ବଡ଼ କରି ଚାହିଁଲା ଏବଂ କହିଲା, ତୁମେ ତ ବଡ଼ ରୋମାଣ୍ଟିକ୍, ମୁଁ ତୁମକୁ ଭାବୁଥିଲି ଶିଷ୍ଟ ନିରସ ଲୋକଟିଏ ହୋଇଥିବ
ଚା’ ପିଇସାରିବା ପରେ ଅନୁପମା କହିଲା, ଆମେ ରୋଷେଇ କରିବା ରୁଟି ଓ ସନ୍ତୁଳା ତୁମେ ଅଟା ଚକଟି ଦଳିବ, ମୁଁ ପରିବା କାଟିବି ତୁମେ ରୁଟି ବେଲିଦେବ, ମୁଁ ରୁଟି ସେକିବି ଏବଂ ସନ୍ତୁଳା କରିବି
ସୁବ୍ରତ ରାଜିହେଲା
ସୁବ୍ରତର ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଅଭ୍ୟାସ ସେ ଶଯ୍ୟାତ୍ୟାଗ କରି ପଢ଼ାପଢ଼ି କରେ କିମ୍ବା ଯେଉଁଦିନ ପଢ଼ାପଢ଼ି କରିବାକୁ ଇଚ୍ଛା ନହୁଏ, ପ୍ରାତଃ ଭ୍ରମଣରେ ବାହରିଯାଏ ସକାଳେ ସେ ଉଠିଲା ଏବଂ ତା’ର ପଢ଼ିବାକୁ ଇଚ୍ଛା ହେଲା କିନ୍ତୁ ଅନୁପମା ଶୋଇଥିବା ଘରେ ବହି ଥିଲା ଏବଂ ଅନୁପମା କବାଟ ଖୋଲି ନ ଥିଲା ତେଣୁ ସେ ପ୍ରାତଃଭ୍ରମଣରେ ବାହାରିଗଲା
ପ୍ରାତଃଭ୍ରମଣରୁ ଫେରି ଦେଖିଲା, ଅନୁପମା ତା’ ନିତ୍ୟକର୍ମ ସାରି ଦେଇଛି ଗାଧୋଇସାରି ତା’ ଡ଼୍ରେସ୍ ବି ପିନ୍ଧିସାରିଛି ସୁବ୍ରତକୁ ଦେଖି କହିଲା, ତୁମେ ବାଥ୍ରୁମ୍ରୁ ଆସ ମୁଁ ତୁମର ରୋଷେଇ ଘରେ କ’ଣ କେଉଁଠି ଅଛି, ଦେଖିସାରିଛି ବ୍ରେଡ଼୍, ବଟର ସହିତ କଦଳୀ ବ୍ରେକ୍ଫାଷ୍ଟ କରିଦେବା କଫି ପିଇବା
ସୁବ୍ରତ ଅନୁପମା ରାତିରେ ଶୋଇଥିବା ତା’ ରୁମ୍କୁ ପଶି ଚିତ୍କାର କଲାପରି କହିଲା, ୟେ’ କ’ଣ ?
ଅନୁପମା ଚମକି ପଡ଼ିଲା ଭାବିଲା, ବୋଧହୁଏ ସେ କିଛି ମୂଲ୍ୟବାନ ଜିନିଷ ତା’ ଅଲକ୍ଷ୍ୟରେ ଭାଙ୍ଗିଦେଇଛି ପଚାରିଲା, କ’ଣ ହେଲା ?
ସୁବ୍ରତ ତା’ ରୁମ୍କୁ ଦେଖୁଥିଲା ରାତିରେ ଶୋଇଲା ପୂର୍ବରୁ କିମ୍ବା ସକାଳୁ ଅନୁପମା ତା’ ରୁମ୍କୁ ସଜାଡ଼ି ଦେଇଛି ବହିଥାକରେ ବହି, ୱାର୍ଡ଼ରୋବ୍ରେ ତା’ର ପ୍ୟାଣ୍ଟ୍ସାର୍ଟ, ଗୋଟିଏ କଡ଼ରେ ଖବରକାଗଜ ସଜଡ଼ାସଜଡ଼ି କଲାପରେ ରୁମ୍ର ବହୁତ ଜାଗା ବଳିପଡ଼ୁଛି ଏବଂ ରୁମ୍ଟା ବଡ଼ ଦିଶୁଛି ସୁବ୍ରତ କହିଲା, ସଜଡ଼ାସଜଡ଼ି କ’ଣ କରିଦେଇଛ ?
ଅସୁବିଧା କ’ଣ ହେଲା ? ମତେ ଅପରିଚ୍ଛନ୍ନ, ଅପରିଷ୍କାର ରହିବା ସ୍ଥାନ ଭଲ ଲାଗେନି ମତେ ନିଦ ହୁଏନି ଅନୁପମା କହିଲା
ଚଳିବ କିନ୍ତୁ ବିଶୃଙ୍ଖଳ, ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ, ମୁଁ ଯେଉଁଠି ଯାହା ରଖିଥିବି, ପାଇଯିବି ସଜାଡ଼ିଦେଲେ ମୁଁ ଖୋଜୁଥିବା ଜିନିଷ ପାଇବି ନାହିଁ ସୁବ୍ରତ କହିଲା
ଅନୁପମା କହିଲା, ଆଜି ଟିକେ କଷ୍ଟ କର ସଞ୍ଜବେଳକୁ ଫେରିଲେ ପୁଣି ବିପର୍ଯ୍ୟସ୍ତ କରିଦେବ
ଅନୁପମା ଫଟ୍କିନା ହସିଦେଲା ତା’ର ମୁହଁ ବାଦଲ ପଛପଟେ ଲୁଚିଥିବା ଜହ୍ନ ବାହାରକୁ ଆସିଗଲା ପରି ଉଜ୍ଜ୍ବଳ ଓ ସୁନ୍ଦର ଦିଶିଲା
ପରଦିନ ଅଫିସ୍ରୁ ଫେରିଲାବେଳକୁ ଅନୁପମା ଚାବି ଭୁଲି ନ ଥିଲା ସେ ତା’ ଫ୍ଲାଟ୍କୁ ଚାଲିଗଲା, ସୁବ୍ରତ ଆସିଲା ନିଜ ଫ୍ଲାଟ୍କୁ
ତା’ ବେଡ଼୍ରୁମ୍କୁ ସଜାଡ଼ି ଦେଇଥିଲା ଅନୁପମା ତାକୁ ଭଲ ଲାଗୁଥିଲା ପୂର୍ବ ରାତିରେ ଅନୁପମା ପିନ୍ଧି ଶୋଇଥିବା ତା’ର ଟ୍ରାଉଜର ଓ ଟି-ସାର୍ଟକୁ ସଫାକରି ଶୁଖେଇ ଦେଇଥିଲା ସୁବ୍ରତ ଫେରିଲାବେଳକୁ ଟ୍ରାଉଜର ଓ ଟି-ସାର୍ଟ ଶୁଖିଯାଇଥିଲା
୨
ଲୁଗା ଧୋଇବାକୁ ନେଇ ତନୁଜା ସହିତ ସୁବ୍ରତର ପ୍ରଥମ ଝଗଡ଼ା ହୋଇଥିଲା
ବିବାହ ହେବାର ପଞ୍ଚମ ଦିନ ତନୁଜା ସବୁଦିନ ଗାଧୋଇସାରି ନିଜ ଲୁଗା ବାଥ୍ରୁମ୍ରେ ପକେଇଦେଇ ଆସେ ସୁବ୍ରତର ମା’ ଧୁଆଧୋଇ କରି ଶୁଖେଇଦିଅନ୍ତି ଚାରିଦିନ ପରେ ପଞ୍ଚମ ଦିନ ତା ମା’ ତନୁଜାଙ୍କୁ କହିଲେ, ତୁମ ନିଜ ଲୁଗା ନିଜେ ଧୁଅ, ନିଜେ ସଫା କର
ସେଦିନ ତନୁଜା ସୁବ୍ରତ ଆଗରେ ଅଭିଯୋଗ କଲା କହିଲା, ତୁମ ମା’ ମୋତେ ଗାଳିଦେଲେ
ସୁବ୍ରତ ବିଶ୍ବାସ କଲା ନାହିଁ ତା ମା’ କେବେ ତାକୁ ବି ଗାଳି ଦେଇ ନାହାନ୍ତି ପିଲାଦିନେ ଭୁଲ୍ କଲେ ବୁଝେଇ ଦିଅନ୍ତି ପଚାରିଲା, କାହିଁକି ଗାଳିଦେଲେ ?
ସେ କହିଲେ, ତୁମ ନିଜ ଲୁଗା ନିଜେ ଧୁଅ, ସଫାସଫି କର
ସୁବ୍ରତ କହିଲା, ଗାଳିଦେଲେ କୋଉଠି ? ନିଜ କାମ ନିଜେ କରିବା କଥା ଆମ ଘରେ ସମସ୍ତେ ନିଜ ଲୁଗାପଟା ନିଜେ ସଫା କରନ୍ତି ଏପରିକି ଏପର୍ଯ୍ୟନ୍ତ ବାପା ମଧ୍ୟ ନିଜ ଲୁଗା ନିଜେ ସଫା କରନ୍ତି
ତନୁଜା କହିଲା, ମୁଁ କିନ୍ତୁ ପିଲାଦିନରୁ ମୋ କାମ କରି ନାହିଁ ମୋ ଲୁଗାପଟା ମୁଁ ଧୋଇବା, ସଫା କରିବା ଜାଣେ ନାହିଁ ମୁଁ କରିପାରିବି ନାହିଁ
ତେବେ କିଏ କରିବ ? ସୁବ୍ରତ ପଚାରିଲା
ତନୁଜା କହିଲା, ଆମ ଘରେ ଚାକର, ଚାକରାଣୀ ଥିଲେ ବାପାଙ୍କର ପିଅନ ବି ଘରକୁ ଆସି କାମ କରିଯାଏ
ତନୁଜା ବାପା ପ୍ରଶାସନିକ ଅଧିକାରୀ ବିବାହ ସ୍ଥିର ହୋଇସାରିଥିଲା, ପରେ ଏହା ମଧ୍ୟ ସୁବ୍ରତ ଜାଣିଥିଲା, ତା’ ଭାବୀ ଶ୍ବଶୁର ଜଣେ ଘୋର ଦୁର୍ନୀତିଗ୍ରସ୍ତ ଅଧିକାରୀ
ସୁବ୍ରତ କହିଲା, ଆମ ଘରେ ପିଲାଦିନୁ ନିଜ କାମ ନିଜେ କରିବା ଶିଖିଛୁ ଘରେ କେବେ ଚାକର ରହି ନାହିଁ ତନୁଜା କାନ୍ଦିଲା କାନ୍ଦି କାନ୍ଦି ତା’ମାକୁ ଫୋନ୍ କଲା ସୁବ୍ରତର ଉପସ୍ଥିତିରେ, ତା’ ମା’କୁ ସେ କହୁଥିଲା, ଏଠି ମତେ ସୁବ୍ରତର ମା’ ଗାଳିଦେଲେ ସୁବ୍ରତ ଅପମାନ ଦଉଛି
ସୁବ୍ରତ ବୁଝିପାରୁ ନ ଥିଲା ତା’ ମା’ ତାକୁ କେମିତି ଗାଳିଦେଲେ ସେ କେମିତି ଅପମାନ ଦେଲା ତନୁଜା ସାମ୍ନାରୁ ସେ ଉଠିଆସିଲା
ଶନିବାର ଦିନ ସେମାନେ ଅଫିସ୍ରୁ ଫେରିଲାବେଳେ, ତୃତୀୟ କର୍ମଚାରୀ ଜଣକ ଅଫିସ୍ କାର୍ରୁ ଓହ୍ଲେଇଗଲା ପରେ, ଦୁହେଁ ଆପାର୍ଟମେଣ୍ଟକୁ ଆସୁଥିଲାବେଳେ ଅନୁପମା ସୁବ୍ରତକୁ ପଚାରିଲା, ତୁମେ ରବିବାର ଦିନ କ’ଣ କର ?
ସୁବ୍ରତ ରବିବାର ଦିନ କିମ୍ବା ଅନ୍ୟ ଛୁଟିଦିନରେ ଟିକେ ବିଳମ୍ବରେ ଶଯ୍ୟାତ୍ୟାଗ କରେ, ସେଦିନ ଲଞ୍ଚ୍ ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରେ କିମ୍ବା ନିଜେ ବ୍ରେକ୍ଫାଷ୍ଟ୍ କରେ ଖବରକାଗଜରେ ସ୍ବତନ୍ତ୍ର ସଂଖ୍ୟା ପଢ଼ୁପଢ଼ୁ ପୁଣି ଶୋଇଯାଏ ଏବଂ ରେସ୍ତୋରାଁରେ ଲଞ୍ଚ୍ କରିଦିଏ, ପଢ଼େ କିମ୍ବା ଘରେ ସିଡ଼ି ଆଣି ଫିଲ୍ମ ଦେଖେ କିମ୍ବା କୁଆଡ଼େ ବୁଲି ଚାଲିଯାଏ ସେ କହିଲା, ସେମିତି କିଛି କରେ ନାହିଁ, ବିଶ୍ରାମ ନିଏ ପଚାରିଲା, ତୁମେ କ’ଣ କର ?
ଅନୁପମା କହିଲା, ମୁଁ ବିଳମ୍ବରେ ଶଯ୍ୟାତ୍ୟାଗ କରେ ବ୍ରେକ୍ଫାଷ୍ଟ ପରେ ଶୋଇଯାଏ ଅଫିସ୍ କାମ ଥିଲେ କରେ
ଅଫିସ୍ କାମ କର ? ସୁବ୍ରତ ଆଶ୍ଚର୍ଯ୍ୟ ହେଲା
ଅସୁବିଧା କ’ଣ ? ଅନୁପମା ପଚାରିଲା
ଅସୁବିଧା ନାହିଁ ଯେ, କିନ୍ତୁ ଅଫିସ କାମରୁ ମୁକ୍ତ ହେବାପାଇଁ କମ୍ପାନୀ ସପ୍ତାହରେ ଗୋଟିଏ ଦିନ ଛୁଟି ଦିଏ ସେଦିନ ବି ଅଫିସ କାମ ?
ମୋର ସବୁକାମ ମଠ ତ ମୋର କାମ ବାକି ରହିଯାଏ ମତେ ଘରେ ରାତିରେ ଏବଂ ଛୁଟିଦିନରେ ବି ଅଫିସ କାମ କରିବାକୁ ହୁଏ ପ୍ରକୃତରେ ମୁଁ ଆଶ୍ଚର୍ଯ୍ୟାନ୍ବିତ ହୁଏ, ତୁମେ କେମିତି ତୁମର ସବୁ କାମ ଅଫିସ ସମୟ ଭିତରେ ସାରିଦିଅ ଅନୁପମା କହିଲା
ଆପାର୍ଟମେଣ୍ଟ୍ ପାଖରେ ଓହ୍ଲେଇଲାବେଳେ ଅନୁପମା କହିଲା, କାଲି ଛୁଟିଦିନ ସାଙ୍ଗହୋଇ କଟେଇ ହେବ ମୋ ଫ୍ଲାଟ୍ରେ କିମ୍ବା ତୁମ ଫ୍ଲାଟ୍ରେ କ’ଣ କହୁଛି ?
ସୁବ୍ରତ କହିଲା, କିମ୍ବା ବାହାରକୁ କୁଆଡ଼େ ବୁଲି ଯାଇହେବ ଅନୁପମା କହିଲା, ଦେଖିବା
୩
ସୁବ୍ରତ ଫ୍ଲାଟ୍ରେ ଦୁହେଁ ରାତି କଟେଇବାର ଚାରିମାସ ହୋଇଯାଇଥିଲା ଏହି ଚାରିମାସ ଭିତରେ ସବୁ ଛୁଟିଦିନ ସେମାନେ ସାଙ୍ଗହୋଇ କଟେଇଛନ୍ତି ସୁବ୍ରତର ଫ୍ଲାଟ୍ରେ କିମ୍ବା ଅନୁପମାର ଫ୍ଲାଟ୍ରେ ସାଙ୍ଗହୋଇ ରୋଷେଇ କରିଛନ୍ତି ତିନିଥର ବାହାରକୁ ବୁଲିଯାଇଛନ୍ତି ଏବଂ ରେସ୍ତୋରାଁରେ ଖାଇଛନ୍ତି ଛୁଟିଦିନ ନ ଥିଲେ ବି କେତେଥର ଅଫିସ୍ରୁ ଫେରିଲା ପରେ ଜଣଙ୍କ ଘରେ ବସି ଚା’ ପିଇଛନ୍ତି ଏବଂ ରାତ୍ରିଭୋଜନ ମଧ୍ୟ ରାନ୍ଧିଛନ୍ତି ଅବଶ୍ୟ ରାତ୍ରିଭୋଜନ ପରେ ନିଜ ନିଜର ଫ୍ଲାଟ୍ରେ ଶୋଇଛନ୍ତି
ଭଲ ସାଦା ଖାଦ୍ୟ ଖାଇବାକୁ ଦୁହେଁ ଯାଇଥିଲେ ’ହରେକୃଷ୍ଣ ରେସ୍ତୋରାଁ’ ସେହି ରେସ୍ତୋରାଁ ପାଖରେ ରାସ୍ତାକଡ଼ରେ ଗୋଟିଏ ଲୋକ ପୁରୁଣା ବହି ବିକ୍ରୀ କରୁଥିଲା ସେଠି ଅଟକିଗଲା ସୁବ୍ରତ ଏବଂ ବହି ଦେଖିବାରେ ଲାଗିଲା ବେଶ୍ କିଛି ସମୟ କଟିଗଲା ପରେ ତା’ର ମନେପଡ଼ିଲା ତା’ ସାଙ୍ଗରେ ଅନୁପମା ଅଛି ଅନୁପମା କିଛି ଦୂରରେ ଗୋଟିଏ ଗଛମୂଳେ ଛିଡ଼ାହୋଇ ତାକୁ ଅପେକ୍ଷା କରିଥିଲା ସେ ତା’ ପାଖକୁ ଚାଲିଆସି କହିଲା, ସରି
ଦୁହେଁ ରେସ୍ତୋରାଁକୁ ଆସିଲେ ଏବଂ ଗୋଟିଏ ଟେବୁଲ ପାଖରେ ବସି ଖାଦ୍ୟ ବରାଦ କଲେ ଅନୁପମା ପଚାରିଲା, ତୁମକୁ କ’ଣ ପୁରୁଣା ବହି ଦେଖିବାକୁ ଭଲ ଲାଗେ ?
ସୁବ୍ରତ କହିଲା, ବହି ପଢ଼ିବା ମୋର ଅଭ୍ୟାସ ଚାକିରି କଲା ପୂର୍ବରୁ ମୁଁ ପୁରୁଣା ବହି ବିକ୍ରୀ ହେଉଥିବା ଦୋକାନରୁ କିଣୁଥିଲି କାରଣ ମୁଁ ଏତେ ବହି କିଣୁଥିଲି ଯେ, ନୂଆ ବହି କିଣିବାକୁ ମୋ ପାଖରେ ଟଙ୍କା ନ ଥିଲା ଏବେ ମଧ୍ୟ ପୁରୁଣା ବହି ବିକ୍ରୀ ହେଉଥିବା ଦୋକାନ ଦେଖିଲେ ମୁଁ ଅଟକିଯାଏ କାରଣ, ଅନେକ ମୂଲ୍ୟବାନ ପୁସ୍ତକ ଅଛି ଯାହା ବଜାରରେ ମିଳେ ନାହିଁ, ହୁଏତ ଛାପା ହେଉ ନାହିଁ ପୁରୁଣା ବହି ଦୋକାନରେ ସେହିସବୁ ପୁସ୍ତକର ପୁରୁଣା ସଂସ୍କରଣ ମିଳିଯାଇପାରେ
ସୁବ୍ରତ କହିସାରି ପଚାରିଲା, ତୁମେ କ’ଣ ବହିକୁ ଘୃଣା କର ?
କାହିଁକି ଘୃଣା କରିବି ? ବହିକୁ ପୁଣି ଘୃଣା ? ସୁବ୍ରତର ଏପରି ଏକ ପ୍ରଶ୍ନରେ ଆଶ୍ଚର୍ଯ୍ୟ ହେଉଥିଲା ଅନୁପମା, ସେ ଓଲଟା ପ୍ରଶ୍ନ କଲା
ସୁବ୍ରତର ବିବାହ ନବମ ଦିନ ସୁବ୍ରତ ଅଫିସ୍ରୁ ଫେରି ଦେଖିଲା, ତା’ ରୁମ୍ରେ ଥିବା ବହି ନାହିଁ ବହିଥାକ ସବୁ ସଫା, ବହିଥାକରେ ଅଛି ବିଭିନ୍ନ ପ୍ରସାଧନ ସାମଗ୍ରୀ ଆଠ ଦଶ ପ୍ରକାରର ନେଲ୍ପଲିସ୍, ଲିପ୍ଷ୍ଟିକ୍ ଇତ୍ୟାଦି ସେ ତନୁଜାକୁ ପଚାରିଲା, ମୋ ବହି ?
ତନୁଜା କହିଲା, ବହିସବୁ ମୁଁ ବସ୍ତାରେ ବାନ୍ଧି ଷ୍ଟୋର୍ରୁମ୍ରେ ପକେଇ ଦେଇଛି
ଷ୍ଟୋର ରୁମ୍ରେ ବସ୍ତା ଭିତରେ ବହି ! ସୁବ୍ରତ ଆଶ୍ଚର୍ଯ୍ୟ ହେଲା
ଏ ଘରେ ବହି ରହିବ ନାହିଁ ତନୁଜା କହିଲା
ତେବେ କ’ଣ ରହିବ ? ସୁବ୍ରତ ପଚାରିଲା
ମୋର କସ୍ମେଟିକ୍ସ, ଜୋତା-ତନୁଜା କହିଲା
ସୁବ୍ରତ ଦେଖୁଥିଲା ବହିଥାକର ତଳ ଦୁଇଥାକ ଜୋତା ଭର୍ତ୍ତି, କିନ୍ତୁ ସଚେତନ ନ ଥିଲା ଏବେ ଜୋତା ଆଡ଼କୁ ଚାହିଁଲା, ପନ୍ଦରରୁ କୋଡ଼ିଏ ହଳ ହେବ ତା’ ମୁଣ୍ଡ କାମ କରୁ ନ ଥିଲା, ସେ ଗଣିପାରିଲା ନାହିଁ
ସୁବ୍ରତ ପଚାରିଲା, ମୁଁ ତେବେ ପଢ଼ିବି କେମିତି ?
ପଢ଼ିବା କ’ଣ ଦରକାର ? ପାଠ ପଢ଼ିଥିଲ, ଚାକିରୀ କଲ ଏବ ପୁଣି ପଢ଼ିବା କ’ଣ ଦରକାର ? ତନୁଜା ଓଲଟା ପ୍ରଶ୍ନ କଲା
ତୁମେ କ’ଣ କରିବ ? ମାନେ, ତୁମକୁ କ’ଣ କରିବାକୁ ଭଲ ଲାଗେ ? ପ୍ରଶ୍ନ କଲା ସୁବ୍ରତ
ମୁଁ ତୁମର ସ୍ତ୍ରୀ, ତୁମର ସ୍ତ୍ରୀ ହୋଇ ରହିବି ମତେ କିଣାକିଣି କରିବାକୁ ଭଲ ଲାଗେ, ବଜାରରେ ବୁଲିବାକୁ, ବିଭିନ୍ନ ସାମଗ୍ରୀ ଦେଖିବାକୁ ଭଲ ଲାଗେ, ବୁଲି ବୁଲି ହୋଟେଲରେ ଖାଇବାକୁ ଭଲ ଲାଗେ ତନୁଜା କହିଲା
ସୁବ୍ରତ ଚାହିଁଲା ତନୁଜାର ପ୍ରସାଧନ ସାମଗ୍ରୀ ଓ ଜୋତାଆଡ଼କୁ ମନେ ମନେ କଳନା କଲା, ତନୁଜାର ପ୍ରସାଧନ ସାମଗ୍ରୀ ଓ ଜୋତା କିଣାକୁ ହୁଏତ ତା’ର ଦରମା ନିଅଣ୍ଟ ହେବ, ପୁଣି ତା‘ର କିଣାକିଣି କରିବା, ବୁଲାବୁଲି କରିବା, ହୋଟେଲରେ ଖାଇବାରେ ସଉକ !
ଅନୁପମା ପୁରୁଣା ବହିଗଦା ପାଖରେ ସୁବ୍ରତ ପାଖରେ ଛିଡ଼ା ନ ହୋଇ କିଛି ଦୂରରେ ଗୋଟିଏ ଗଛମୂଳେ ଛିଡ଼ାହୋଇଥିବା ଦେଖି ସେ ବୋଧହୁଏ ଭାବିଲା ତା’ର ବହି ପ୍ରତି ଘୃଣା ଥିବ ସେ କହିଲା, ବହିକୁ କେବେ କୌଣସି ଶିକ୍ଷିତ ବ୍ୟକ୍ତି କ’ଣ ଘୃଣା କରିପାରିବ ? ମୋର ବାପା ପୁସ୍ତକପ୍ରିୟ ନୂଆ ବହିଟିଏ ଦେଖିଲେ ସେ ବହୁତ ଖୁସି ହୋଇଯାଆନ୍ତି ମତେ ମଧ୍ୟ ଭଲ ଲାଗେ ବାପାଙ୍କ ବହିପତ୍ର ମୁଁ ସଜାଡ଼ି ରଖେ, ମଝିରେ ମଝିରେ ଝଡ଼ାଝଡ଼ି କରେ ମୁଁ ଅବଶ୍ୟ ମୋର ପାଠ୍ୟପୁସ୍ତକ ପଢ଼େ, କେତେବେଳେ କେମିତି ଉପନ୍ୟାସ କିମ୍ବା ଗପବହି ପଢ଼େ କିନ୍ତୁ ତୁମ ପରି କିମ୍ବା ମୋ ବାପାଙ୍କ ପରି ନିଜକୁ ପୁସ୍ତକ ପ୍ରେମୀ ବୋଲି ଦାବି କରିପାରିବି ନାହିଁ
ହୋଟେଲ ବୟ ଦୁହିଁଙ୍କୁ ସୁପ୍ ଦେଇଗଲା ସୁପ୍ ଚାମଚେ ପାଟିକୁ ନେଇ ସୁବ୍ରତ ପଚାରିଲା, ତୁମେ ବିବାହ କାହିଁକି କରୁନ ?
ଅନୁପମା କହିଲା, ମୁଁ ବିବାହ କରିବି ନାହିଁ ବୋଲି ସ୍ଥିର କରିଛି କାରଣ, ମୁଁ ଅଳସୁଆ ନିଜପାଇଁ ରୋଷେଇ କରିବାକୁ ମତେ କଷ୍ଟ ଲାଗେ ଆଉ ଜଣକୁ ରୋଷେଇ କରିଦେବା ମୋ ପାଇଁ ଅସମ୍ଭବ ଦ୍ବିତୀୟରେ ମୁଁ ବହୁତ ରାଗୀ ଓ ଚିଡ଼ିଚିଡ଼ା ସ୍ବଭାବର ମୁଁ ଯାହା ଚାହେଁ ତାହା କରିବାକୁ ଚେଷ୍ଟାକରେ କେହି ମୋ କାମରେ ହସ୍ତକ୍ଷେପ କଲେ କିମ୍ବା ଅନୁକୂଳ ମନ୍ତବ୍ୟ ନ ଦେଲେ ମୁଁ ଚିଡ଼ିଯାଏ ସ୍ବାମୀ ସହିତ ସଂସାର କରିବା ସହଜ କାମ ନୁହେଁ, ଅନ୍ତତଃ ମୋ ପାଇଁ
ସୁବ୍ରତ କହିଲା, ତୁମେ ଠିକ୍ କହୁନ ତୁମେ ଅଳସୁଆ ନୁହଁ ଅଳସୁଆ ହୋଇଥିଲେ ତୁମର ଏତେ ଭଲ କ୍ୟାରିୟର୍ ନ ଥାନ୍ତା ଅଫିସ କାର୍ଯ୍ୟ ବି ସୁଚାରୁରୂପେ ସମ୍ପାଦନ କରୁଛ ଭଲ ରୋଷେଇ ବି କରୁଛ ଏହି କେତେଦିନ ହେଲା ଆମେ ଆମିଷ, ନିରାମିଷ ବ୍ୟଞ୍ଜନ କରିଛେ….
ଆମେ କରିଛେ, ମୁଁ ଏକା କରିନି କହିଲା ଅନୁପମା
ଅବଶ୍ୟ କିନ୍ତୁ ତୁମେ ଅଳସୁଆ ନୁହଁ ଏହି କେତେଦିନ ହେଲା ତୁମେ ଥରୁଟିଏ ବି ରାଗିନ କିମ୍ବା ଚିଡ଼ିନ ମେନ ମନେ ଯଦି ରାଗିଥାଅ କିମ୍ବା ଚିଡ଼ିଥାଅ ପ୍ରକାଶ କରିନ, ଚିଡ଼ିଚିଡ଼ା ସ୍ବଭାବ ହୋଇଥିଲେ ଏତେଦିନ ଭିତରେ ଥରୁଟିଏ ଅନ୍ତତଃ ତୁମେ ରାଗିଥାଆନ୍ତ ସୁବ୍ରତ କହିଲା
ଦୁହେଁ ସୁପ୍ ଖାଇସାରିଥିଲେ ହୋଟେଲ ବୟ ସୁପ୍ ବାଉଲ ନେଇଗଲା ଏବଂ ଖାଦ୍ୟ ପରଶି ଦେଇଗଲା
ଅନୁପମା କହିଲା, ମତେ ଏବେ ଘରଲୋକେ ଦେଖିଲେ ବିଶ୍ବାସ କରି ପାରିବେନି ପ୍ରକୃତରେ ମୁଁ ବହୁତ ରାଗୀ ଓ ଚିଡ଼ିଚିଡ଼ା ସ୍ବଭାବର ଥିଲି ମୋର ଅଲକ୍ଷ୍ୟରେ ମୋର ବହୁତ ପରିବର୍ତ୍ତନ ହୋଇଯାଇଛି
ହରେକୃଷ୍ଣ ରେସ୍ତୋରାଁରେ ଖାଦ୍ୟ ସୁସ୍ବାଦୁ ହୋଇଥିଲା ଦୁହେଁ ଖାଦ୍ୟ ଉପଭୋଗ କରି ଖାଉଥିଲେ ଅନୁପମା କିଛି ସମୟ ଗମ୍ଭୀର ଚିନ୍ତାକରି କହିଲା, ମୁଁ କାହା ପ୍ରେମରେ ପଡ଼ି ନ ଥିଲି, ମୋ ଭିତରେ ଭଲପାଇବା ନ ଥିଲା ମୁଁ ମୋର ପାଠ୍ୟପୁସ୍ତକ, ଡିଗ୍ରୀ ଓ କ୍ୟାରିୟର୍ ଭିତରେ ରହିଯାଇଥିଲି, କିନ୍ତୁ ଏବେ ମୋ ହୃଦୟରେ ଭଲପାଇବା ଆସିଯାଇଛି ଏବେ ଜଣକର ପ୍ରେମରେ ପଡ଼ିଯାଇଛି ବୋଧହୁଏ ତାହା ହିଁ ଏ ପରିବର୍ତ୍ତନର ଲକ୍ଷଣ କିନ୍ତୁ ମୁଁ ବିବାହ ବନ୍ଧନରେ ବାନ୍ଧିହୋଇ ରହି ପାରିବିନି, ବନ୍ଧନକୁ ମୋର ପ୍ରବଳ ଭୟ ତା’ର କାରଣ ମୁଁ କହିପାରିବି ନାହିଁ
ସୁବ୍ରତ ପଚାରିଲା ନାହିଁ, କାହା ପ୍ରେମରେ ସେ ପଡ଼ିଯାଇଛି, କାହାପ୍ରତି ତା’ର ଭଲପାଇବା
ସେମାନେ ଖାଇସାରିଥିଲେ ଆଇସ୍କ୍ରିମ୍ ବରାଦ କରିଥିଲେ ଅନୁପମା ପଚାରିଲା, ତୁମେ କାହିଁକି ବିବାହ କରୁନ ?
ସୁବ୍ରତ କହିଲା, ମୁଁ ବିବାହ କରିଛି
ଅନୁପମା ବିଶ୍ବାସ କରିପାରୁ ନ ଥିଲା ସୁବ୍ରତ ପାଖରେ ବିବାହର ଚିହ୍ନବର୍ଣ୍ଣ ସେ ଦେଖୁ ନ ଥିଲା ପଚାରିଲା, ତୁମେ ବିବାହ କେବେ କଲ ? ତୁମର ସ୍ତ୍ରୀ ?
ସୁବ୍ରତ କହିଲା, ମୁଁ ବିବାହ କରିଥିଲି ସେ ଝିଅର ନାମ ତନୁଜା ବିବାହର ପଞ୍ଚମ ଦିନରେ ଆମର ପ୍ରଥମ ଝଗଡ଼ା ହେଲା, ନବମ ଦିନରେ ଝଗଡ଼ା ଘନୀଭୂତ ହେଲା, ପନ୍ଦର ଦିନରେ ଆମ ଘର ଛାଡ଼ି ସେ ତା’ ବାପଘରକୁ ଚାଲିଗଲା ମାସକ ଭିତରେ ସେ ମୋ ନାମରେ ତାକୁ ଅତ୍ୟାଚାର କରୁଛି, ନିର୍ଯ୍ୟାତନା ଦେଉଛି ବୋଲି ଅଭିଯୋଗ କଲା ତିନିମାସ ଭିତରେ ସବୁ ଫଇସଲା ହୋଇଗଲା ଆମକୁ ଡିଭୋର୍ସ ମିଳିଗଲା ଅବଶ୍ୟ ମତେ ଏକ ମୋଟାଅଙ୍କର ଅର୍ଥ ଦେବାକୁ ହେଲା ସେଥିପାଇଁ ମତେ ମୋର କମ୍ପାନୀ ଛାଡ଼ିବାକୁ ହେଲା ମୁଁ ଏହି କମ୍ପାନୀରେ ଯୋଗଦେଲି ଏବଂ ଏହି ସହରକୁ ଆସିଲି
ଦୁହେଁ ନୀରବରେ ଆଇସ୍କ୍ରିମ ଖାଉଥିଲେ ଅନୁପମା ବିବାହ ବିଚ୍ଛେଦର କାରଣ ପଚାରୁ ନ ଥିଲା ସେ କହିଲା, ତୁମେ ସମଲିଙ୍ଗୀ ପୁରୁଷ କିମ୍ବା ନପୁଂସକ ନୁହଁ ତ ?
ସୁବ୍ରତ ବିଲ୍ ପେମେଣ୍ଟ କରିସାରି କହିଲା, ମୁଁ ସମଲିଙ୍ଗୀ ପୁରୁଷ ହୋଇଥିଲେ ଏତେଦିନର ମିଳାମିଶା ଭିତରେ ବୋଧହୁଏ ତୁମପରି ଜଣେ ବୁଦ୍ଧିମତୀ ଝିଅ ଜାଣିପାରିଥାନ୍ତା ନପୁଂସକ କି ନୁହେଁ ତୁମେ ଚାହିଁଲେ ପରୀକ୍ଷା ନେଇପାରିବ
୪
ପାଞ୍ଚବର୍ଷ ହେଲା ଦୁହେଁ ଗୋଟିଏ ଫ୍ଲାଟରେ ରହୁଛନ୍ତି ମୁଖ୍ୟତଃ ସେମାନଙ୍କର ତିନୋଟି ସର୍ତ୍ତ :
୧. କମ୍ପାନୀ ଦୁଇଜଣଙ୍କ ପାଇଁ ଦୁଇଟି ଫ୍ଲାଟ୍ର ଭଡ଼ା ଦେଉଛି ଯେହେତୁ ଦୁହେଁ ଗୋଟିଏ ଫ୍ଲାଟ୍ରେ ରହୁଛନ୍ତି, ଅନ୍ୟ ଫ୍ଲାଟ୍ ବାବଦକୁ ମିଳୁଥିବା ଭଡ଼ା ଦୁହେଁ ଦୁହିଁଙ୍କପାଇଁ ଖର୍ଚ୍ଚ କରିବେ
୨. ସେମାନେ ବିବାହ କରିବେ ନାହିଁ
୩. ଯେତେବେଳେ ଜଣେ ଚାହିଁବ ସେମାନେ ଅଲଗା ହୋଇଯିବେ, ଅନ୍ୟ ଜଣେ ପ୍ରତିରୋଧ କରିବ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ
ଏହି ତିନୋଟି ସର୍ତ୍ତ ଥିଲା ଅଲିଖିତ ସୁବ୍ରତ ସିଗାରେଟ, ଗଞ୍ଜେଇମିଶା ସିଗାରେଟ୍ ଟାଣିବା ଛାଡ଼ିଦେଇଛି କାରଣ, ଅନୁପମା ସିଗାରେଟ୍ ଗନ୍ଧ ସହି ପାରେନି ମଦ୍ୟପାନ ବି କମେଇ ଦେଇଛି ଅନୁପମା ରଗାରଗି କରିବା, ଚିଡ଼ିବା ସୁବ୍ରତ ପ୍ରତ୍ୟକ୍ଷ କରୁ ନାହିଁ ଦୁହିଁଙ୍କ ଭିତରେ ଯେ ରାଗରୁଷା ହେଉ ନାହିଁ ତାହା ନୁହେଁ, ଦିନେ ଦିନେ ହୋଇଯାଉଛି ତୃତୀୟ ସର୍ତ୍ତ ଅନୁସାରେ କାଳେ ଅନ୍ୟଜଣେ ଅଲଗା ହୋଇଯିବାକୁ ଚାହିଁବ, ରାଗରୁଷା ବେଶୀ ଦୂରକୁ ଯାଉ ନାହିଁ ସେଥିପାଇଁ ଦୁହେଁ ସତର୍କ ରହୁଛନ୍ତି